Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଶାମ୍ବ ଦଶମୀ : ଏହି ଦିନ ସୂର୍ଯ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋକାମନା

ଆଜି ପବିତ୍ର ଶାମ୍ବ ଦଶମୀ : ବିଶ୍ୱାସ ରହିଛି, ଏହି ଦିନ ସୂର୍ଯ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋକାମନା

ଆଜି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ। ବିଶ୍ଵର ବିଭିନ୍ନ ଧର୍ମ ଓ ସଂପ୍ରଦାୟରେ ସୂର୍ଯ୍ୟ ପୂଜାର ବିଧି ରହିଛି। ଭାରତରେ ଆବହମାନ କାଳରୁ ରହିଛି ସୂର୍ଯ୍ୟ ପୂଜାର ପରମ୍ପରା। ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ "ଘଡ଼ଘଡ଼ା ତିଅଣ" କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।

ସୂର୍ୟ ଦେବତା

କେଉଁ ଆଦିମ ଓ ବୈଦିକ କାଳରୁ ଆଦିଦେବତା ଭାବରେ ସୂର୍ଯ୍ୟ ଉପାସିତ ହୋଇ ଆସିଛନ୍ତି। ସେ ହିଁ ପୃଥିବୀର ସକଳ ଶକ୍ତିର ଆଧାର। ତେଣୁ ଗୃହାଙ୍ଗନଠାରୁ ମନ୍ଦିର ପର୍ଯ୍ୟନ୍ତ, ସର୍ବତ୍ର ସୂର୍ଯ୍ୟ ପୂଜନକୁ ପ୍ରାଥମିକତା ଦିଆଯାଇଥାଏ। ପ୍ରତ୍ୟେକ ଦିନ ସ୍ନାନାନ୍ତେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ପରଂପରା ରହିଛି । ବ୍ରହ୍ମପୁରାଣ, କପିଳ ସଂହିତା, ପ୍ରାଚୀମାହାତ୍ମ୍ୟ ଓ ଶାମ୍ବପୁରାଣ ଆଦି ଗ୍ରନ୍ଥରେ, ପୌଷ ଶୁକ୍ଳପକ୍ଷ ଦଶମୀ ତିଥି ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ଆବିର୍ଭାବ ଦିବସ ରୂପେ ବର୍ଣ୍ଣିତ ଅଛି। ସେହି ଅନୁସାରେ, ଓଡ଼ିଶାର ପ୍ରତ୍ୟେକ ଗୃହରେ 'ଶାମ୍ବ ଦଶମୀ' ବା 'ସମ୍ବର ଦଶମୀ' ଭାବରେ ସୂର୍ଯ୍ୟଙ୍କର ଏକ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ।

କଥିତ ଅଛି, ଏକଦା କୃଷ୍ଣପୁତ୍ର ଶାମ୍ବ ନିଜର ଚପଳତା ହେତୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡ଼ିତ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଦକ୍ଷିଣ ସମୁଦ୍ର ତଟରେ ଥିବା ମୈତ୍ରେୟ ବନକୁ ଆସି ସୂର୍ଯ୍ୟଙ୍କୁ ଉପାସନା କରିବା ଫଳରେ, ସେ ସେହି ରୋଗରୁ ମୁକ୍ତ ହୋଇଥିଲେ। ପୌଷ ଶୁକ୍ଳ ଦଶମୀ ତିଥିରେ ସୂର୍ଯ୍ୟଦେବ ଶାମ୍ବଙ୍କୁ ଆଦିତ୍ୟ ନାରାୟଣଙ୍କର ଏକ କନକ ପ୍ରତିମା ପ୍ରଦାନ କରି, ଅର୍କକ୍ଷେତ୍ରରେ ତାହାର ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ । ସେହି ସ୍ମୃତିରେ ଆଜି ମଧ୍ୟ ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ ଏବଂ ଗୃହୀମାନେ ନିଜ ନିଜ ଗୃହରେ ଭକ୍ତି ସହକାରେ ସୂର୍ଯ୍ୟଦେବଙ୍କର ଉପାସନା କରିଥାନ୍ତି ।

ଏହି ପୂଜାର ବିଧି ଯେପରି ମନମୋହକ ସେହିପରି ଆନନ୍ଦଦାୟକ। ଘରର ମା'ମାନେ ସନ୍ତାନମାନଙ୍କର ନିରୋଗ ଜୀବନ କାମନା କରି ଏହି ପୂଜାବିଧି ଅନୁଷ୍ଠାନ କରିଥାନ୍ତି। ସକାଳୁ ଉଠି, ସ୍ନାନ ସାରି, ମା'ମାନେ ଚାଉଳ ଓ ଗୁଡ଼ରେ ଏକ ବିଶେଷ ପ୍ରକାରର ଜାଉ ତିଆରି କରନ୍ତି। ତାହା ସକାଳସୂର୍ଯ୍ୟଙ୍କୁ ଭୋଗ ଲଗାଯାଇଥାଏ । ତା'ପରେ ମଧ୍ୟାହ୍ନରେ ଓଡ଼ିଆ ଘରେ ତିଆରି ହେଉଥିବା ବିଭିନ୍ନ ପ୍ରକାରର ବ୍ୟଞ୍ଜନ, ଯଥା- ଖିରି, ପୁରି, ବିଭିନ୍ନ ପ୍ରକାର ପିଠା, ମିଠା, ଦହିଭାତ, ଖେଚୁଡ଼ି, ଡାଲମା, ମକର ଚାଉଳ, ଲଡ଼ୁ ଆଦି ନୈବେଦ୍ୟ ରୂପେ ପ୍ରସ୍ତୁତ ହୋଇଥାଏ । ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ସ୍ଵତନ୍ତ୍ର ଭାବରେ ବିଭିନ୍ନ ପିଠା ମାନସିକ କରିଥାନ୍ତି ଶ୍ରଦ୍ଧାଳୁମାନେ। ଛୋଟପିଲା କଥା କହିବାରେ ଅସୁବିଧା ଥିଲେ ଅଥବା କଥା କହିବା ବିଳମ୍ବ ହେଲେ ଶାମ୍ବ ଦଶମୀରେ ଚଣା ପୂଜା କରାଯାଏ । ସେହିପରି ଭିନ୍ନ ଭିନ୍ନ ମାନସିକ ପାଇଁ ଅଲଗା ଅଲଗା ନୈବେଦ୍ୟ ପୂଜା କରିବା ବିଧି ମଧ୍ୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+