Get Updates
Get notified of breaking news, exclusive insights, and must-see stories!

Ratha Yatra 2024: ଅଣସର ନୀତି କଣ ? କିପରି ସମ୍ପନ୍ନ ହୁଏ ଏହି ନୀତି

Ratha Yatra 2024: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତି । ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ରବିବାରଠାରୁ ମହାପ୍ରଭୁଙ୍କ ଚଳିତଥର ବିରଳ ୧୩ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରୀ କୋଠରୀ ଭିତରେ ଶ୍ରୀବିଗ୍ରହ ମାନଙ୍କ ଗୁପ୍ତ ସେବା ଆରମ୍ଭ କରିଛନ୍ତି । ଅପରପକ୍ଷରେ ଦଶାବତାର ଠାକୁରଙ୍କ ସହ ପଟି ଦିଅଁଙ୍କ ପୂଜା ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ।

ଏହି ସମୟରେ ଅଣସର ଗୃହରେ ରହି ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିକିତ୍ସା ହେବା ବିଧି ରହିଛି । ଏହି ବିଧି 'ମହା ଅଣସର' ନାମରେ ଖ୍ୟାତ । ମହା ଅଣସର ଦୁଇ ଭାଗରେ ବିଭକ୍ତ । ପ୍ରଥମେ କୈବଲ୍ୟ ବୈକୁଣ୍ଠରେ ବୈଦିକ ବିଧି ଅନୁସାରେ ହୁଏ । ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏହି ଅଣସର ଲୀଳା ଚାଲିଥାଏ । ଦ୍ୱିତୀୟ ଅଣସର ଲୀଳା ଶ୍ରୀମନ୍ଦିର ଗର୍ଭ ଗୃହର ଅଣସର ପିଣ୍ଡିରେ ହୁଏ । ଏହା ଦ୍ୱିତୀୟ ଅଷାଢ଼ ମାସ ପ୍ରତିପଦାଠାରୁ ଆରମ୍ଭ ହୁଏ । ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ ।

ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି ।

କିପରି ହୁଏ ଅଣସର ନୀତି:

କରାଳ କର୍ମ: ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କାମ କରାଯାଏ। ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ ଓ ଚନ୍ଦନ ଲେପକୁ ଅଲଗା କରାଯାଏ।

ଶ୍ରୀଅଙ୍ଗ ଫିଟା: ସ୍ନାନ ମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ। ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ।
ଫୁଲୁରି ତେଲ ଲାଗି: ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି। ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ।

ପଇତା ଲାଗି: ଅଣସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡିଲା ଭଳି ବନ୍ଧାଯାଏ। ତାହା ଉପରେ ଚନ୍ଦନ ଲାଗି କରାଯାଏ।

ଫୁଲୁରି ଲାଗି: ପଇତା ଲାଗି ପରେ ଫୁଲୁରି ତେଲ ଲାଗି ହୁଏ। ଏହାକୁ ମଧ୍ୟ 'ଶ୍ରୀତୈଳ' କୁହାଯାଏ। ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ଏହି ତେଲ ଅଣସରର ସପ୍ତମ ଦିନରେ ଲାଗି କରାଯାଏ। ବିଗ୍ରହରେ ଏହି ତେଲ ଘଷାଯାଏ।

ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ: ଏହିଦିନ ଶ୍ରୀଜିଉମାନଙ୍କୁ କପଡ଼ା ବନ୍ଧନ କରାଯାଏ। ଶ୍ରୀତୈଳ ଘଷାଯିବା ପରେ କ୍ଷୀର, ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମର୍ଦ୍ଦନ କରାଯାଇ ବନ୍ଧାଯାଏ।
ମସୃଣ ଲେପନ: ଶ୍ରୀକପଡ଼ା ବନ୍ଧାଯିବା ପରେ ସର୍ବାଙ୍ଗରେ ଏକ ଲେପ ଦିଆଯାଏ। ଶ୍ରୀଜିଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ।
ଚକା ବିଜେ: ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ। ପାରମ୍ପରିକ ରୀତି ଅନୁସାରେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ। ଏହା ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ।
ଚନ୍ଦନ ଲାଗି: ଶ୍ରୀଜିଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ। ଠାକୁରମାନେ ସୁସ୍ଥ ହୋଇଥିବାରୁ ଏକାଦଶୀଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ।
ଖଡ଼ି ଲାଗି: ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ।
ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ : ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ। ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ। ଶ୍ରୀଅଙ୍ଗରୁ ଯେଉଁ ଔଷଧ, ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ। ଏହାକୁ ନିର୍ମାଲ୍ୟ କୁହାଯାଏ। ଏହାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଦିଅନ୍ତି।
ଅଣସର ତ୍ରୟୋଦଶୀ: ଶ୍ରୀଜିଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ। ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯାଏ। ଏବଂ ଶଙ୍ଖକୁ ପୋଡ଼ି ଯେଉଁ ଭସ୍ମ ବାହାରେ ତାହା ହେଉଛି ଖଡ଼ି ପ୍ରସାଦ।
ବନକ ଲାଗି: ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ, ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତି। ବନକ ଲାଗିରେ ଜୀଉମାନଙ୍କର ରୂପ କାମ କରାଯାଏ।
ଚକା ଅସରପ: ନୂଆ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନ ବିଗ୍ରହଙ୍କୁ ଲାଗି କରାଯାଏ। ଏହାକୁ ଚକା ଅସରପ ନୀତି କୁହାଯାଏ। ଏହି ଦିନ ହିଁ ଅଣସରରର ଶେଷ ଦିବସ।
ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା ଦିନ ନୂଆ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+