ରଥଯାତ୍ରା ସରିବା ପରେ, ଏହି ତିନିରଥ ଯାଏ କୁଆଡ଼େ ? କ'ଣ ହୁଏ ରଥକାଠ ?
ରଥଯାତ୍ରା ସରିବା ପରେ ରଥର କଣ ହେବ, ଏହି ତିନିରଥ ଯାଏ କୁଆଡ଼େ? ପ୍ରତ୍ୟେକଙ୍କ ମନରେ କେବେ ନା କେବେ ଏହି ପ୍ରଶ୍ନ ନିଶ୍ଚୟ ଉଙ୍କି ମାରିଥିବ। ଏ ସଂପର୍କରେ ଜଣାଯାଏ ଯେ ରଥଯାତ୍ରା ପରେ ଏହି ରଥ ପୁଣିଥରେ ବ୍ୟବହାର ହେବାର ବିଧି ନଥିବାରୁ, ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ । କେବଳ ନବକଳେବର ବର୍ଷରେ ତିଆରି ହୋଇ ଆଉ ଗୋଟିଏ ନବକଳେବର ପର୍ଯ୍ୟନ୍ତ ରହୁଥିବା ସାରଥି, ଘୋଡ଼ା, ପାଶ୍ୱର୍ଦେବଦେବୀ, ଓଲଟଶୁଆ, ରଥର ଠେଲାବାଡ଼ ଓ ବ୍ରେକ୍ ଆଦିକୁ ପରବର୍ତ୍ତୀ ରଥଯାତ୍ରା ପାଇଁ ସାଇତି ରଖାଯାଏ ।
ଅଧିକ ଅନୁଧ୍ୟାନରୁ ଜଣାଯାଏ ଯେ ଏହି ତିନିରଥ ମଧ୍ୟରୁ ପ୍ରଥମେ ଭଙ୍ଗାଯାଏ ଦେବୀ ସୁଭଦ୍ରାଙ୍କ 'ଦେବଦଳନ' ରଥକୁ । ତା'ପରେ ଶ୍ରୀଜଗନ୍ନାଥଙ୍କ 'ନନ୍ଦିଘୋଷ' ରଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ 'ତାଳଧ୍ୱଜ' ଭଙ୍ଗାଯାଏ । ତେବେ ଏହି ରଥଭଙ୍ଗା ପାଇଁ ସ୍ୱତନ୍ତ୍ର ବିଧି କିଛି ନାହିଁ । ବାହୁଡ଼ାଯାତ୍ରାରେ ଫେରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ ତିନି ରଥ ବଡ଼ଦାଣ୍ଡକୁ ପ୍ରାୟ ଅବରୋଧ କରି ଗୋଟିଏ ଧାଡ଼ିରେ ରହିଥାଆନ୍ତି । ତେଣୁ ଗମନାଗମନର ସୁବିଧାପାଇଁ ପ୍ରଥମେ ମଝିରେ ଥିବା ଦେବଦଳନ ରଥକୁ ଭଙ୍ଗାଯାଇଥାଏ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳେ।

ଏହା ବ୍ୟତୀତ ବିଗତ କିଛି ବର୍ଷ ଧରି ତିନି ରଥର ଚକ, ପ୍ରଭା, ଗୁଜ ଓ ଅସୁଆରୀ ପରି ଚାରିଟି ଅଙ୍ଗକୁ ସାଇତି ରଖାଯାଇ ବିଭିନ୍ନ ଦେବପୀଠକୁ ଦାନସୂତ୍ରରେ ବା ବ୍ୟକ୍ତିବିଶେଷଙ୍କୁ ବିକ୍ରି ସୂତ୍ରରେ ପ୍ରଦାନ କରାଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନର ୱେବ୍ସାଇଟ୍ରେ ସ୍ୱତନ୍ତ୍ର ବିଜ୍ଞପ୍ତି ଦିଆଯାଏ ।
ଏନେଇ କଣ କୁହନ୍ତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ?
ତେବେ, ଏସବୁ ବ୍ୟତୀତ, ରଥଭଙ୍ଗାରୁ ପ୍ରତିବର୍ଷ ବାହାରୁଥିବା ବିପୁଳ ପରିମାଣର ରଥକାଠ ହୁଏ କ'ଣ? ରଥଯାତ୍ରା ଅବସରରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ କହିବାନୁଯାୟୀ- ଯେଉଁ ତିନିଟି ରଥ ପ୍ରତିବର୍ଷ ନୂତନ ଭାବରେ ନିର୍ମାଣ ହେଉଛନ୍ତି, ନୀଳାଦ୍ରିବିଜେ ପରେ ସେହି ତିନି ରଥର କାଠ ଯାଏ ମହାପ୍ରଭୁଙ୍କ ରୋଷଘରକୁ । ସାରାବର୍ଷ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିପାଇଁ ଯେତେ ଜାଳେଣି କାଠ ପ୍ରୟୋଜନ ହୁଏ, ତାହାର ପ୍ରାୟ ୭୫ ଭାଗ ଏହି ରଥକାଠ ମେଣ୍ଟାଇଥାଏ ।
ସେହିପରି, ପ୍ରତିବର୍ଷ ନୂଆ ରଥର ନିର୍ମାଣ ନ କରାଯାଇ, ତିନି ରଥର ପୁନର୍ବ୍ୟବହାର ପ୍ରସଙ୍ଗରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି- ଶ୍ରୀଜଗନ୍ନାଥ ହେଉଛନ୍ତି ମହାପ୍ରଭୁ । ସମଗ୍ର ବିଶ୍ୱର ମହାପ୍ରଭୁ । ଆପଣ ଯେପରି ଆପଣଙ୍କର ଜନ୍ମଦିନରେ ନୂଆ ପୋଷାକ ପିନ୍ଧନ୍ତି, ସେହିପରି ଆମେ କ'ଣ ଆମର ଏ ମହାପ୍ରଭୁଙ୍କୁ ଏ ମହାନ୍ ଯାତ୍ରାରେ ପ୍ରତିବର୍ଷ ନୂଆ ରଥରେ ବସାଇ ନେଇପାରିବା ନାହିଁ?












Click it and Unblock the Notifications