ପୌରଣିକ କାହାଣୀ: ଶଙ୍ଖାସୁର ବଧ, ଭଗବାନଙ୍କ ମତ୍ସ୍ୟ ଅବତାର ଏବଂ କାର୍ତ୍ତିକ ମାସରେ ଏହାର ମହତ୍ଵ
ସତ୍ୟଯୁଗର କଥା l ସିନ୍ଧୁ ସୁତ ଦୈତ୍ୟ ଶଙ୍ଖାସୁର ଅତ୍ୟନ୍ତ ବଳଶାଳୀ ହୋଇଉଠିଲା lତାହାର ଉତ୍ପାତ ରେ ତ୍ରିପୁର ଥର ହର ହେଲା l ତ୍ରିଲୋକ ଜୟ କରି ସେ ସମସ୍ତ ସମ୍ପଦ ସହିତ ବେଦ ପତି ବ୍ରହ୍ମାଙ୍କ ଠାରୁ ଚତୁର୍ବେଦ ଚୋରି କରି ଆଣି ଅତଳ ସାଗର ମଧ୍ୟରେ ଲୁଚାଇ ରଖିଲା l ବେଦ ବିହୁନେ ସୃଷ୍ଟିରେ ସମସ୍ତ ପୁଣ୍ୟ କାର୍ଯ୍ୟ, ହୋମ ଯଜ୍ଞ ଆଦି ବନ୍ଦ ହୋଇ ଯିବାରୁ ସମସ୍ତ ପ୍ରକୃତି ସ୍ଥାଣୁ ପାଲଟି ସୃଷ୍ଟିରେ ହାହାକାର ପଡ଼ିଗଲା l

ସେତେବେଳେ ଭଗବାନ ଶ୍ରୀବିଷ୍ଣୁ ଯୋଗନିଦ୍ରାରେ ଶୟନ କରିଥାନ୍ତ l ସମସ୍ତ ଦେବତା ଓ ଋଷି ମୁନି ଗଣଙ୍କ ସହ ବ୍ରହ୍ମା ଯାଇ ଭଗବାନଙ୍କୁ ବେଦ ଉଦ୍ଧାର ନିମନ୍ତେ ପ୍ରାର୍ଥନା କଲେ l ଶ୍ରୀବିଷ୍ଣୁ ଦେଵଗଣଙ୍କୁ ଆଶ୍ୱାସନା ଦେଇ କହିଲେ ତୁମେମାନେ ନିଶ୍ଚିନ୍ତ ରୁହ ମୁଁ ସେ ପ୍ରବଳ ପ୍ରତାପୀ ଦୈତ୍ୟ ଶଙ୍ଖାସୁରକୁ ମତ୍ସ୍ୟରୂପ ଧାରଣ କରି ନିପାତ କରି ବେଦ ଉଦ୍ଧାର କରିବି l ପ୍ରଭୁଙ୍କ କଥାରେ ଆଶ୍ୱସ୍ତ ହୋଇ ବ୍ରହ୍ମାଙ୍କ ସମେତ ସମସ୍ତେ ଫେରିଗଲେ l
ବିନ୍ଧ୍ୟ ପର୍ବତରେ ଜଣେ ତପସ୍ୱୀ ବାସକରୁଥିଲେ l ସର୍ବ ଶାସ୍ତ୍ର ପାରଙ୍ଗମ ସେହି ଋଷିଙ୍କର ନାମ ଥିଲା କଶ୍ୟପ l ଚାତୁର୍ମାସ୍ୟା ବ୍ରତ ପଡ଼ି ଥାଏ l ମହର୍ଷି ପ୍ରତ୍ୟହ ସ୍ନାନ ତର୍ପଣ ପାଇଁ ପ୍ରଭାତରୁ ସରସ୍ବତୀ ନଦୀକୁ ଯାଉଥିଲେ l
ଦିନେ ସେ ସ୍ନାନ ସାରି ସୂର୍ଯ୍ୟ ନାରାୟଣଙ୍କୁ ଜଳଅଞ୍ଜଳି ଦେଉଥିଲେ l ଦେଖିଲେ ଅଞ୍ଜଳି ମଧ୍ୟରେ ଗୋଟିଏ କ୍ଷୁଦ୍ର ସଫରି ଖେଳୁଛି l ଋଷି ସେ ଛୋଟ ମାଛକୁ ଦେଖି ଭାବିଲେ ହୁଏତ ମାଛଟି ବଡ଼ମାଛଙ୍କ ଭୟରେ ଅଞ୍ଜଳି ମଧ୍ୟକୁ ଚାଲି ଆସିଛି l ସେ ଦୟା ପରବଶ ହୋଇ ମାଛକୁ ନିଜ କମଣ୍ଡଳୁରେ ରଖି ଦେଲେ l
କିଛି କ୍ଷଣପରେ ସେ ସଫରୀର ଶରୀର ବୃଦ୍ଧି ପାଇ କମଣ୍ଡଳୁ ଜଳରେ ତାକୁ ଜାଗା ନିଅଣ୍ଟ ହେଲା l ମାଛଟି ଚିତ୍କାର କରି ତାକୁ ଅନ୍ୟ ସ୍ଥାନରେ ଛାଡ଼ି ଦେବା ପାଇଁ ଋଷିଙ୍କୁ ନିବେଦନ କଲା । ଋଷି ମହାତ୍ମା ଏହା ଦେଖି ମାଛକୁ ନେଇ ଗୋଟିଏ କୂପ ମଧ୍ୟରେ ଛାଡ଼ି ଦେଲେ l
ପୁଣି ସେ ମତ୍ସ୍ୟର ଶରୀରଟି ବୃଦ୍ଧି ପାଇ କୂପରେ ମଧ୍ୟ ତାକୁ ଜାଗାଟି ନିଅଣ୍ଟ ପଡ଼ିଲା l ତାକୁ ନେଇ ମହର୍ଷି ପୁଣି ଗୋଟିଏ ତଡାଗରେ ଛାଡ଼ି ଦେଲେ l କିଛି ସମୟ ମଧ୍ୟରେ ମାଛର ଶରୀର ବୃଦ୍ଧିପାଇ ତଡ଼ାଗଟି ପୂର୍ଣ୍ଣ ହୋଇ ଗଲା l ମହର୍ଷି ତାକୁ ନେଇ ଛାଡ଼ିଦେଲେ ଗୋଟିଏ ସରୋବରରେ l ସେଠାରେ ମଧ୍ୟ ସେହି ମାଛକୁ ଜାଗା ନିଅଣ୍ଟ ପଡ଼ିବାରୁ ତାକୁ ନେଇ ଋଷିମହାତ୍ମା ନଦୀରେ ଛାଡ଼ି ଦେଲେ l କିନ୍ତୁ ମତ୍ସ୍ୟଟିର ଶରୀର ବୃଦ୍ଧିପାଇ ସେ ନଦୀ ମୁହାଣରେ ଅଚଳ ହୋଇ ପଡ଼ି ରହିଲା l କଶ୍ୟପ ଋଷି ତାକୁ ଅନ୍ୟ ଋଷିମାନଙ୍କ ସାହାଯ୍ୟରେ ନେଇ ଅତଳ ସମୁଦ୍ର ବକ୍ଷରେ ମେଲି ଦେଲେ l ମେରୁ ସମାନ କଳେବର, ସୁବର୍ଣ୍ଣମୟ ଦେହ, ଅତି ସୁନ୍ଦର ସୁରଙ୍ଗ ନେତ୍ର, ଗିରି ସଦୃଶ ପୁଛ ଆଦିରେ ଶୋଭିତ ବିରାଟକାୟ ରୋହିତଟି ମହାସିନ୍ଧୁ ଜଳ ଭିତରେ ତାର ବିରାଟ ପକ୍ଷ ହଲାଇ ଖେଳିବାରେ ଲାଗିଲା l ସିନ୍ଧୁ ଜଳ ଉଛୁଳି ଉଠି କୁଳ ଲଙ୍ଘିବାକୁ ବସିଲା l ସପ୍ତ ସିନ୍ଧୁ ଜଳ ମୀନର ପୁଚ୍ଛରେ ଶୋଷି ହୋଇଗଲା l ସେହି ସାଗରର ମହାଜଳରେ ଲୁଚି ରହିଥିଲା ଵେଦ ଚୋର ଶଙ୍ଖାସୁର l

ମହା ମତ୍ସ୍ୟଟି ସବୁ ଜଳକୁ ଶୋଷି ନେବାରୁ ସାଗର ଶୁଷ୍କ ହୋଇ ଗଲା l ଶୁଷ୍କ ସାଗର ମଧ୍ୟରୁ ଶଙ୍ଖାସୁର ବାହାରକୁ ଚାଲି ଆସିଲା।ମତ୍ସ୍ୟରୂପୀ ଭଗବାନ ତତ୍କ୍ଷଣାତ ନିଜର ରୂପରେ ପ୍ରକଟ ହୋଇ ଶଙ୍ଖାସୁରକୁ ଧରି ପକାଇଲେ l ପ୍ରଭୁ ତା'ମୁଖରେ ଫୁଙ୍କିବାକୁ ଲାଗିଲେ l ଶଙ୍ଖାସୁର ଦେହ ଫୁଲି ଫାଟିଗଲା l ତା ଦେହରୁ ମାଂସ, ଶୋଣିତ, ଚର୍ମ ବାହାରିଯାଇ କେବଳ ଅସ୍ଥିମୟ ଖୋଳପାଟି ପଡ଼ିରହିଲା l ମହାପ୍ରଭୁ ଶଙ୍ଖାସୁର ଅସ୍ଥିକୁ ତୋଳି ଧରିଲେ ଏବଂ ସବୁଦିନ ପାଇଁ କରିନେଲେ ନିଜର ଆୟୁଧ ପାଞ୍ଚଜନ୍ୟ ଶଙ୍ଖ l ପ୍ରଭୁ ସେହି ପାଞ୍ଚଜନ୍ୟ ଶଙ୍ଖ ନାଦ କରି ତ୍ରିଭୁବନ ଜନମନ ହରଣ କଲେ l ବେଦଚୋର ଶଙ୍ଖାସୁର ଠାରୁ ବେଦ ଉଦ୍ଧାର କରି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ହସ୍ତରେ ଅର୍ପଣ କଲେ l ବେଦ ପୁଣି ସଂସାରକୁ ଫେରିଆସିବାରୁ ବୈଦିକକର୍ମ ଓ ଯଜ୍ଞାଦି କାର୍ଯ୍ୟ ପୁନଃ ଆରମ୍ଭ ହେଲା l ଯଜ୍ଞ ଭାଗ ପାଇ ଦେବତାମାନେ ସନ୍ତୁଷ୍ଟ ହେଲେ l ଇନ୍ଦ୍ର ଠିକ ସମୟରେ ବୃଷ୍ଟି କଲେ l ପ୍ରକୃତି ପୁଣି ଚଳଚଞ୍ଚଳ ହୋଇ ଉଠିଲା l ସମସ୍ତ ସଂସାର ଶୁଖି ହେଲା l ଶଙ୍ଖାସୁର ହରଣ କରି ନେଇଥିବା ଧନ ସମସ୍ତେ ଫେରି ପାଇଲେ l
ବେଦଫେରି ପାଇ ସୃଷ୍ଟିକର୍ତ୍ତା ବ୍ରହ୍ମା ଅତ୍ୟନ୍ତ ପ୍ରୀତ ହୋଇ ଭଗବାନଙ୍କୁ ପ୍ରାର୍ଥନା କରି କହିଲେ,-
'ପ୍ରଭୁ ମୋର ଗୋଟିଏ ବିନତି l ସଂସାର ଆର୍ତ୍ତକାଳରେ ଆପଣ ମତ୍ସ୍ୟରୂପ ଧରି ଜଳରେ ବାସକରି ବେଦ ଚୋର ଶଙ୍ଖାସୁର ବଧକରି ବେଦ ଉଦ୍ଧାରକଲେ l ମୋର ପ୍ରାର୍ଥନା,ଆପଣ ଯେଉଁସମୟରେ ଜଳରେ ବାସ କଲେ ସେହି ସମୟର ଜଳ ଯୁଗଯୁଗ ଧରି ସମସ୍ତଙ୍କ ପାଇଁ କଲ୍ୟାଣକାରୀ ଓ ପବିତ୍ର ହେବ l ପ୍ରାତଃ କାଳରେ ସେ ଜଳରେ ସ୍ନାନ କରି ସମସ୍ତ ଜନପ୍ରାଣୀ ଅଶେଷ ପୁଣ୍ୟ ଲାଭ କରିବେ l ଏହି ଅନୁଗ୍ରହ କରନ୍ତୁ ପ୍ରଭୁ । ପ୍ରଭୁ ମୃଦୁ ହସଟିଏ ହସି ଦେଇ କହିଲେ,ପିତାମହ ଆପଣ କେଉଁ ସମୟ କଥା କହୁଛନ୍ତି।
ସେହି ସମୟଟି ହେଉଛି ମହା କାର୍ତ୍ତିକ ମାସ l ମହା କାର୍ତ୍ତିକ ମାସରେ ନଦୀରେ ପ୍ରାତଃ ସ୍ନାନ ଅନ୍ତେ ପବିତ୍ର ହୃଦୟରେ ଯିଏ ଜଳାଞ୍ଜଳି ଦେଇ ହବିଷ୍ୟ ପାଳିବ ସିଏ ସାଜୁଯ୍ୟ ମୁକ୍ତିଲାଭ କରିବ,ଏତିକି ଆଜ୍ଞା ହେଉ ମହାପ୍ରଭୁ l
ପ୍ରଭୁ କହିଲେ ତଥାସ୍ତୁ ! ସମସ୍ତ ଧର୍ମକ୍ଷେତ୍ର କାର୍ତ୍ତିକ ବ୍ରତ ପାଇଁ ପ୍ରଶସ୍ତ ହେବ ।କିନ୍ତୁ ପ୍ରୟାଗ, ବଦ୍ରିକା ଏବଂ କାଶୀ କାର୍ତ୍ତିକବ୍ରତ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ l ଏଠାରେ କେବଳ ଦିନେମାତ୍ର ରହି ସ୍ନାନ ତର୍ପଣ କଲେ, ପ୍ରାଣୀଙ୍କୁ ସମସ୍ତ ପୁଣ୍ୟ ଫଳ ପ୍ରାପ୍ତ ହେବ l
ଏହା ସ୍କନ୍ଧପୁରାଣ ଅନ୍ତର୍ଗତ ମହାଦେବ ଦାସ କୃତ କାର୍ତ୍ତିକ ମାହାତ୍ମ୍ୟରେ ବର୍ଣ୍ଣିତ କଥାବସ୍ତୁ । ଶ୍ରୀମଦ ଭାଗବତରେ ଶ୍ରୀବିଷ୍ଣୁ ମୀନ ଅବତାରରେ ଦୈତ୍ୟକୁ ବଧ କରି ବେଦ ଉଦ୍ଧାର କରି ଥିଲେ ବୋଲି ବର୍ଣ୍ଣନାରହିଛି l ଶ୍ରୀବିଷ୍ଣୁଙ୍କ ମୀନ ଅବତାର ବିଷୟରେ ସ୍କନ୍ଧ ପୁରାଣରେ ଉଲ୍ଲେଖ ଅଛି । କାର୍ତ୍ତିକ ମାସରେ ଭଗବାନ ଶ୍ରୀବିଷ୍ଣୁ ଜଳରେ ବାସ କରିଥାନ୍ତି l ଏଣୁ କାର୍ତ୍ତିକ ପ୍ରାତଃ ସ୍ନାନ ମହାପୁଣ୍ୟ ଦାୟୀ ଅଟେ l












Click it and Unblock the Notifications