ଜାଣନ୍ତୁ ନବରାତ୍ରୀ ଓ ଦୁର୍ଗାପୂଜାର ସ୍ୱତନ୍ତ ମାହାତ୍ମ୍ୟ କ'ଣ
Navratri 2024: ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା'ଦୁର୍ଗା । ଶରତ ଆଗମନରେ କାଶତଣ୍ଡୀ ଫୁଲ ମା'ଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଗଲେଣି । ଏହି ସମୟକୁ ସାରା ଦେଶବାସୀ କାହିଁ କେତେ ଉଲ୍ଲାସର ସହ ଅପେକ୍ଷା କରିଥାନ୍ତି । ମା'ଙ୍କୁ ପୂଜା କରିବା ସହ ଆଶିଷ ଲାଭ କରିବା ପାଇଁ ବର୍ଷେ ଧରି ଅପେକ୍ଷା କରିଥାନ୍ତି ଭକ୍ତଗଣ ।
ମା' ଦୁର୍ଗାଙ୍କ ଏହି ଧରାବତରଣ ସମୟରେ ପାପର ସଂହାର କରିବେ । 9 ଦିନ ଧରି ପୂଜା ପାଇବେ ମହାମାୟା । ଏହି 9 ଦିନକୁ ମହାନବରାତ୍ରୀ ଭାବେ ପାଳନ କରାଯାଏ । କିନ୍ତୁ ଆପଣ ଜାଣନ୍ତିୁ କି, ବର୍ଷରେ ଦୁର୍ଗାପୂଜା ପର୍ବ 4 ଥର ପଡ଼ିଥାଏ । ହେଲେ ଆଶ୍ୱିନମାସର ଶୁକ୍ଳପକ୍ଷରେ ପଡ଼ୁଥିବା ନବରାତ୍ରୀ ବା ଦୁର୍ଗାପୂଜାକୁ ବେଶ୍ ଧୂମଧାମ୍ରେ ପାଳନ କରାଯାଏ । ଏହି 9 ଦିନ ମହାମାୟାଙ୍କ 9ଟି ସ୍ୱରୂପର ପୂଜାର୍ଚ୍ଚନା କରାଯାଏ ।

ତେବେ କାହିଁକି ଏହି ସମୟରେ ସାରା ଭାରତରେ ଦୁର୍ଗାପୂଜା ଧୂମ୍ଧାମ୍ରେ ପାଳନ କରାଯାଏ ? ଏହି ମହାପର୍ବ ପଛରେ କ'ଣ ରହିଛି ଇତିହାସ ? ହିନ୍ଦୁମାନଙ୍କର ସବୁଠୁ ବଡ଼ ପର୍ବ ହେଉଛି ଦଶହରା ବା ଦୁର୍ଗାପୂଜା । ଭାରତର ପ୍ରାୟ ସବୁ କୋଣରେ ଏହି ପୂଜା ଭିନ୍ନ ଭିନ୍ନ ଢଙ୍ଗରେ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଏ ।
ଏହି ପୂଜା ପଛରେ ଅନେକ ପୌରାଣିକ କାହାଣୀର ପ୍ରଚଳନ ରହିଛି । କୁହାଯାଏ ସର୍ବପ୍ରଥମେ ଭଗବାନ ଶ୍ରୀରାମ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ କରିଥିଲେ । ସେ ଲଙ୍କାର ରାଜା ରାବଣଙ୍କ ଉପରେ ବିଜୟଲାଭ କରିବା କାମନାରେ ଲଙ୍କାର ସମୁଦ୍ର କୂଳରେ ଏହି ପୂଜା କରିଥିଲେ । ଲଗାତାର 9 ଦିନ ପର୍ଯ୍ୟନ୍ତ ପୂଜା ମା'ଙ୍କର ଉପାସନା କରିବା ପରେ ଦଶମୀ ଦିନ ସେ ଲଙ୍କା ବିଜୟ ପାଇଁ ପ୍ରସ୍ଥାନ କରିଥିଲେ । ଯାହାପରେ ରାବଣ ସହ ଭୟଙ୍କର ଯୁଦ୍ଧ ହୋଇଥିଲା ଓ ଶେଷରେ ପ୍ରଭୁ ଶ୍ରୀରାମଙ୍କର ବିଜୟ ହୋଇଥିଲା । ବାସ୍ ସେବେଠୁ ଅସତ୍ୟ ଓ ଅଧର୍ମ ଉପରେ ଧର୍ମ ଓ ସତ୍ୟର ଜୟର ପର୍ବ ଦଶହରା ପାଳନ କରାଯାଏ ଓ ଦଶହରାର ପୂର୍ବ 9 ଦିନକୁ ନବରାତ୍ରୀ ଭାବେ ପାଳନ କରାଯାଏ। । ଦଶହରାରେ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କରିଥିବାରୁ ଅନେକ ସ୍ଥାନରେ ଏହିଦିନ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ ।












Click it and Unblock the Notifications