Get Updates
Get notified of breaking news, exclusive insights, and must-see stories!

ଶ୍ରୀଗୁଣ୍ଡିଚା ମନ୍ଦିର: ଜାଣନ୍ତୁ ଶ୍ରୀଗୁଣ୍ଡିଚାର କିମ୍ବଦନ୍ତୀ...

ଶ୍ରୀଗୁଣ୍ଡିଚା ମନ୍ଦିର: ରତ୍ନବେଦୀ ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନବଦିନାତ୍ମକ ଯାତ୍ରା କରି ଆଡ଼ପ ମଣ୍ଡପରେ ବିଜେ ହେବେ ଭାଇଭଉଣୀ । ଯିବା ଦିନ ଓ ଆସିବା ଦିନକୁ ବାଦ୍ ଦେଲେ, ମଝିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତଦିନ ସେଠାରେ ରହନ୍ତି । ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିବା ପରେ ଚାରି ଦାରୁଦେବତା ଓ ତିନି ଉତ୍ସବ ଦେବତା ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ପୂଜା ପାଇବା ବେଳେ, ତିନି ଧ୍ୱଜଦେବତା ତିନି ରଥରେ ହିଁ ରହିଥାଆନ୍ତି । ସେତେବେଳେ ରଥରେ ପ୍ରତିଦିନ ସେମାନଙ୍କୁ ଭୋଗ ଲଗାଯାଇଥାଏ ।

shree gundicha temple

ତେବେ ଏହି ମନ୍ଦରିର କିଛି କିମ୍ବଦନ୍ତୀ ରହିଛି । ଏହି ମନ୍ଦିରର ନାଁ କାହିଁକି ରହିଛି ଗୁଣ୍ଡିଚା ମନ୍ଦିର ? କିମ୍ବଦନ୍ତୀ ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ଥିଲା 'ଗୁଣ୍ଡିଚା' । ତାଙ୍କ ଅନୁସାରେ 'ଗୁଣ୍ଡିଚା ମନ୍ଦିର'ର ନାମକରଣ ହୋଇଛି । କିନ୍ତୁ ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ଅନୁସାରେ, ଏହି ନାମକରଣ ରାଜା ଚୋଡ଼ଗଙ୍ଗ ଦେବଙ୍କ ରାଣୀ 'ଗୁଣ୍ଡି-ଚୋଡ଼ି'ଙ୍କ ନାମ ଅନୁସାରେ ହୋଇଛି ।

ପୁରାଣ ମତରେ ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗର ରାଜା । ଇତିହାସର ତଥ୍ୟ ଅନୁସାରେ ଚୋଡ଼ଗଙ୍ଗ ଦେବ ଏକାଦଶ-ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀ ରାଜା । ଏଣୁ କେଉଁ ରାଣୀଙ୍କ ନାମ ଅନୁସାରେ ଏହି ମନ୍ଦିରର ନାମକରଣ ହୋଇଛି ସେ ନେଇ ସନ୍ଦେହ ସୃଷ୍ଟି ହୁଏ ।

'ଦେଉଳତୋଳା' କିମ୍ବଦନ୍ତୀକୁ ନେଇ ଯେଉଁସବୁ ପୋଥି ମିଳେ, ସେଥିରେ 'ଗୁଣ୍ଡିଚା ରାଣୀ'ଙ୍କ କଥା ଅଛି । ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ । 'ସ୍କନ୍ଦପୁରାଣ' ଅନୁସାରେ, ଇନ୍ଦ୍ରଦ୍ୟୁମ୍ନ ଅବନ୍ତୀରୁ ଆସି ଓଡ଼୍ରଦେଶରେ ପହଞ୍ଚିବା ପରେ ଗୁଣ୍ଡିଚାମନ୍ଦିରଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ । ସେହି ଯଜ୍ଞ ଶେଷରେ ଭଗବାନ ବିଷ୍ଣୁ ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଥିଲେ, ସମୁଦ୍ରରେ ଏକ ଦିବ୍ୟଦାରୁ ଆବିର୍ଭୂତ ହେବେ । ସେଥିରେ ଦାରୁବ୍ରହ୍ମ ନିର୍ମିତ ହେବେ । କିନ୍ତୁ କିମ୍ବଦନ୍ତୀ ଅନୁସାରେ, ସେଥିରେ ଗୋପନରେ ଦାରୁମୂର୍ତ୍ତି ଗଢ଼ା ହେବା ବେଳେ, ଭିତରୁ କୌଣସି ଶବ୍ଦ ନ ଶୁଭିବାରୁ ରାଣୀ ଗୁଣ୍ଡିଚାଙ୍କ କଥାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ୱାର ଫିଟାଇଦେଲେ ।

ଫଳରେ ବିଗ୍ରହମାନେ ଅଧାଗଢ଼ା ହୋଇ ରହିଗଲେ । ଏହି ଅନୁସାରେ, ରାଣୀ ଗୁଣ୍ଡିଚା ହିଁ ରଥଯାତ୍ରାର ଆରମ୍ଭ କରିଥିଲେ । ତେଣୁ ଏହାର ନାମ 'ଶ୍ରୀଗୁଣ୍ଡିଚା ଯାତ୍ରା' ହେଲା । ମନ୍ଦିରର ନାମ ମଧ୍ୟ 'ଗୁଣ୍ଡିଚା ମନ୍ଦିର' ରଖାଗଲା ।

'ସ୍କନ୍ଦପୁରାଣ'ରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରସଙ୍ଗ ଅଛି । 'ଗୁଣ୍ଡିଚା' ଯାତ୍ରା କଥା ମଧ୍ୟ କୁହାଯାଇଛି । ଗୁଣ୍ଡିଚା ମନ୍ଦିରକୁ ସେଥିରେ 'ଗୁଣ୍ଡିଚାଳୟ' ଓ 'ଗୁଣ୍ଡିଚା ମଣ୍ଡପ' ମଧ୍ୟ କୁହାଯାଇଛି । ଲୋକମୁଖରେ ତାହା 'ଗୁଣ୍ଡିଚା ଘର' । କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ 'ଗୁଣ୍ଡିଚା' ଥିଲା ବୋଲି ସେଥିରେ ବର୍ଣ୍ଣନା ନାହିଁ ।

ସାରଳା ଦାସ ଓଡ଼ିଆ ଭାଷାର ଆଦିକବି । ତାଙ୍କ 'ମହାଭାରତ'ରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାମ 'ଗୁଣ୍ଡିଚା' ବୋଲି ଲେଖା ନାହିଁ । ତାଙ୍କ ଅନୁସାରେ, ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ଥିଲା 'ଗୁଣ୍ଡକେରୀ' । କେତେକ 'ମହାଭାରତ' ପୋଥିରେ ତାଙ୍କ ନାଆ 'ଗୁଣ୍ଡମତୀ' ବୋଲି ମଧ୍ୟ ଲେଖାଅଛି । କିନ୍ତୁ 'ଦାଣ୍ଡି ରାମାୟଣ'ର ରଚୟିତା ବଳରାମ ଦାସ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ 'ଗୁଣ୍ଡିଚା' ବୋଲି ଲେଖିଛନ୍ତି ।

ଏସବୁରୁ ଜଣାଯାଏ, ସାରଳା ଦାସ 'ମହାଭାରତ' ରଚନା କଲାବେଳକୁ 'ଗୁଣ୍ଡିଚାରାଣୀ' କିମ୍ବଦନ୍ତୀର ସୃଷ୍ଟି ହୋଇ ନଥିଲା । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାଆଁ ବି 'ଗୁଣ୍ଡିଚାଯାତ୍ରା' ନଥିଲା । ଏହା ବଳରାମ ଦାସଙ୍କ ସମୟକୁ ସୃଷ୍ଟି ହେଲା । 'ଦେଉଳତୋଳା' ପୋଥିମାନ ଏହି ଧାରଣାକୁ ସୁଦୃଢ଼ କଲା ।

ତେବେ 'ମାଦଳା ପାଞ୍ଜି'ରୁ ଏ ସଂପର୍କରେ ଗୋଟିଏ ମୂଲ୍ୟବାନ ସୂଚନା ମିଳେ । ସେଥିରୁ ଜଣାଯାଏ ଯେ ଗଙ୍ଗବଂଶୀ ରାଜା ନରସିଂହ ଦେବଙ୍କ ବେଳକୁ 'ଗୁଣ୍ଡିଚାଘର'ଠାରେ ଗୋଟିଏ 'କାଠମଣ୍ଡପ' ଥିଲା । ଶ୍ରୀଜଗନ୍ନାଥାଦି ଦେବତା ଯାଇ ସେହି କାଠମଣ୍ଡପରେ ବିଜେ ହେଉଥିଲେ । ଏହି ରାଜା ସେହି କାଠମଣ୍ଡପକୁ 'ପଥର ମଣ୍ଡପ' କଲେ ।

ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ 'ଖୁରୁଧା ଇତିହାସ'ରେ ଏ ସଂପର୍କରେ ଆଉ ଗୋଟିଏ ସୂଚନା ଦେଇଛନ୍ତି । ସେ କହିଛନ୍ତି- ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଇଥିଲେ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ତାହା ପରେ 'ଗୁଣ୍ଡିଚା ଯାତ୍ରା' ହେଲା । ଏ ସଂପର୍କରେ ଆହୁରି ବହୁ ଦିଗରୁ ମଧ୍ୟ ଆଲୋଚନା ହୋଇଛି । ସେସବୁରୁ ସ୍ପଷ୍ଟ ହୁଏ ଯେ ଏହି ଯାତ୍ରା ଶ୍ରୀଜଗନ୍ନାଥଙ୍କର ଏକ ପ୍ରାଚୀନ ଯାତ୍ରା । ଏହାର ନାମ ମଧ୍ୟ 'ଗୁଣ୍ଡିଚା' ଯାତ୍ରା । କିନ୍ତୁ 'ଗୁଣ୍ଡିଚା', 'ଗୁଣ୍ଡି-ଚୋଡ଼ି', 'ଗୁଣ୍ଡକେରୀ' ବା 'ଗୁଣ୍ଡମତୀ'- କେଉଁ ରାଣୀଙ୍କ ନାଆଁ ଅନୁସାରେ ଏହି ଯାତ୍ରାର ନାମ ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବରେ କହିହୁଏ ନାହିଁ । କିନ୍ତୁ 'ଦେଉଳ ତୋଳା' କିଂବଦନ୍ତି ଏତେ ଲୋକପ୍ରିୟ ହୋଇଛି ଯେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ 'ଗୁଣ୍ଡିଚା' ଥିଲା ଏବଂ ସେ ହିଁ 'ଗୁଣ୍ଡିଚା ମନ୍ଦିର' ନିର୍ମାଣ କରିଥିଲେ ବୋଲି ଲୋକେ ବିଶ୍ୱାସ କରିଆସିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+