Durga Puja 2024: ଶାରଦୀୟ ଦୁର୍ଗାପୂଜା : ଦେବୀ ଦୁର୍ଗାଙ୍କ ନାଁ ଦୁର୍ଗା କାହିଁକି ?
ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ 'ଦଶହରା' କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଶକ୍ତିସ୍ୱରୂପିଣୀ ମା' ଦୁର୍ଗା। କେଉଁଠି ସେ ଅଷ୍ଟଭୂଜା ତ ପୁଣି କେଉଁଠି କାତ୍ୟାୟନୀ। ସେ ଅଭୟ ବରଦାୟିନୀ ଆଉ ଦୁର୍ଗତୀନାଶିନୀ। ଦୁର୍ଗାପୂଜା ଆଜି ଘରେ ଘରେ ପରିଚିତ ଆଉ ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଏକ ଜାତୀୟ ପର୍ବ ଭାବରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଆସୁଅଛି । କଳିଯୁଗରେ ଦୁର୍ଗାପୂଜାକୁ ଅଶ୍ୱମେଧ ଯଜ୍ଞର ବିକଳ୍ପ ରୂପେ ଗ୍ରହଣ କରାଯାଇଥାଏ । ଆଶ୍ୱିନ ଶୁକ୍ଳଦଶମୀ ତିଥିରେ ଦେବୀ ମାଆ ଦୁର୍ଗାଙ୍କୁ ପୂଜନ କଲେ ମାନବ ଦଶ ଜନ୍ମକୃତ ପାପରୁ ଉଦ୍ଧାର ପାଏ ବୋଲି, ଏହି ପୁଣ୍ୟତିଥିକୁ "ଦଶହରା" କୁହାଯାଏ । ଏତଦ୍ଭିନ୍ନ ଏହି ତିଥିରେ ମାଆ ଦୁର୍ଗାଙ୍କ ପୂଜା ନିଷ୍ଠାର ସହ ପାଳନ କଲେ ଦଶ-ବାଧାବିଘ୍ନ ଦୂର ହେଉଥିବାରୁ ଦୁର୍ଗାପୂଜାର ନାମ ଦଶହରା ।

ପ୍ରକୃତରେ ଦୁର୍ଗା ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ, ଯାହାଙ୍କୁ ସହଜରେ ପାଇହୁଏ ନାହିଁ । ସେ ହେଉଛନ୍ତି ଶକ୍ତି ସ୍ୱରୂପିଣୀ, ସଂସାରର ସମସ୍ତ ଜ୍ଞାନ, ଅଜ୍ଞାନ ତାଙ୍କ ଭିତରେ ସମାହିତ ହୋଇ ରହିଛି । ସେ ସୃଜନ କରନ୍ତି, ପାଳନ କରନ୍ତି, ସଂହାର ବି କରନ୍ତି । ସେ ଆଦ୍ୟା ମହାଶକ୍ତି, ତାଙ୍କର ସ୍ୱରୂପ ବିବିଧ । ସେହିପରି 'ଦୁର୍ଗା' ଶବ୍ଦର ଅନ୍ୟ ଏକ ଅର୍ଥ ହେଲା 'ଦୁର୍ଗତିନାଶିନୀ', ଅର୍ଥାତ୍ ଯିଏ ସମସ୍ତ ପ୍ରକାର ବିପଦରୁ ଭକ୍ତଗଣଙ୍କୁ ଉଦ୍ଧାର କରିଥାନ୍ତି । ଅଧର୍ମ, ଅସତ୍ୟ, ଅନ୍ୟାୟ, ଅନ୍ଧାର ଉପରେ ଧର୍ମ, ସତ୍ୟ, ନ୍ୟାୟ ଓ ଆଲୋକର ବିଜୟ ପାଇଁ, ମା'ଙ୍କୁ ଆରାଧନା କରାଯାଇଥାଏ । ଯଦିଓ ସେ ଏକ ଓ ଅଭିନ୍ନ, ତେବେ ଶକ୍ତି ସ୍ୱରୂପିଣୀ ମା'ଙ୍କୁ ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ ଆଦି ବିଭିନ୍ନ ରୂପରେ ପୂଜା କରାଯାଏ । ଭକ୍ତି ଓ ଶ୍ରଦ୍ଧାର ସହ ଏହି ପୂଜା କରୁଥିବା ବ୍ୟକ୍ତି, ଶକ୍ତି ଓ ସାମର୍ଥ୍ୟ ଲାଭ କରିବା ସହିତ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।












Click it and Unblock the Notifications