Devutthana Ekadashi 2024: ଆଜି ଦେବୋତ୍ଥାନ ଏକାଦଶୀ; ନିଦରୁ ଉଠିବେ ହରି, କେମିତି ପାଳନ କରିବେ ଏହି ବ୍ରତ?
"ଯସ୍ତ୍ବଂ ମାସାନତିବ୍ୟାପ୍ୟ ଚତୁରଃ ପରମେଶ୍ୱରଃ । ନିଦ୍ରାସୁଖଂ ପ୍ରଭଜସେ ତଦନ୍ତେ ସାଂପ୍ରତଂ ପ୍ରଭୋ।।"
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଦିନ ଦେବୋତ୍ଥାନ ଏକାଦଶୀ ପାଳିତ ହୋଇଥାଏ । ଦୀର୍ଘ ଚାରି ମାସ ପରେ ଆଜିଠାରୁ ଶୁଭ ସମୟ ଆରମ୍ଭ ହୋଇଥାଏ । ଆଷାଢ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ଶୟନରତ ଥିଲେ । ତେଣୁ, ଏହି ସମୟରେ ବିବାହ, ବ୍ରତ ଆଦି ଶୁଭ କାର୍ଯ୍ୟମାନ ବର୍ଜିତ ହୋଇଥିଲା ।
ଧାର୍ମିକ ବିଶ୍ୱାସ
ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ, କୌଣସି ଶୁଭ କାମ ପାଇଁ ଦେବଦେବୀଙ୍କ ଆଶୀର୍ବାଦ ଆବଶ୍ୟକ ହୋଇଥାଏ। କିନ୍ତୁ ପ୍ରତିବର୍ଷ ୪ ମାସ ପାଇଁ ବୃନ୍ଦାଙ୍କ ଦ୍ୱାରା ଦିଆଯାଇଥିବା ବରଦାନ କାରଣରୁ ତ୍ରିଦେବଙ୍କ ମାନଙ୍କ ମଧ୍ୟରୁ ବିଶ୍ୱ ରକ୍ଷକ ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦାଶି ଠାରୁ ଯୋଗ ନିଦ୍ରାକୁ ଯାଇ କାର୍ତ୍ତିକ ଶୁକ୍ଳ ଏକାଦଶିରେ ଚାରି ମାସ ପରେ ଉଠନ୍ତି।ସେପର୍ଯ୍ୟନ୍ତ ହିନ୍ଦୁ ଧର୍ମରେ ମୁଣ୍ଡନ, ବିବାହ ଭଳି ଶୁଭ କାର୍ଯ୍ୟ ବନ୍ଦ ହୋଇଯାଏ। ଏହି କାରଣରୁ, ଏହି ଏକାଦାଶି ଦେବଥାନ ଏକାଦାଶି ବା ଦେବ ଉଠନି ଏକାଦଶି ଭାବରେ ଜଣାଶୁଣା।

ବ୍ରତ ବିଧି:
- ଦେବ ଉଠନୀ ଏକାଦଶୀ ଦିନ, ସକାଳେ ଗାଧୋଇବା ପରେ ଉପବାସ କରିବାକୁ ଏକ ସଂକଳ୍ପ ନିଅନ୍ତୁ ।
- ଏହା ପରେ ଭଗବାନ ବିଷ୍ଣୁଙ୍କ ପ୍ରତିମା ସ୍ଥାପନ କରନ୍ତୁ ଏବଂ ଏହାକୁ ପୂଜା କରନ୍ତୁ ।
- ଏହି ଦିନ ଅନେକ ଲୋକ ନିର୍ଜଳା ଉପବାସ ପାଳନ କରନ୍ତି ଏବଂ ଫଳ ମଧ୍ୟ ଖାଆନ୍ତି ।
- ଏକାଦଶୀ ଦିନ ସନ୍ଧ୍ୟାରେ ଘର ଭିତରେ ରଙ୍ଗୋଲି ତିଆରି କରି ପୂଜା ବଢାଯାଏ।
- ଏହି ଉପବାସରେ, ଆପଣ ସନ୍ଧ୍ୟା ପୂଜା କରିବା ପରେ ଫଳ ଖାଇପାରିବେ।
ଶ୍ରୀମନ୍ଦିର ନିତିକାନ୍ତି
ଏହି ଦିନ ବାଳ ଧୂପ ସରିବା ପରେ ପତି ମହାପାତ୍ର, ପୂଜାପଣ୍ଡା ଓ ମୁଦିରସ୍ତ ୩ ବାଡ଼ରେ ଆଳତି କରିଥାନ୍ତି ଓ ଶୟନ ଏକାଦଶୀ ପରି ସମସ୍ତ ନୀତି ବଲ୍ଲଭ ବଡ଼ସିଂହାର ପର୍ଯ୍ୟନ୍ତ ହୋଇଥାଏ । ବଡ଼ସିଂହାର ଭୋଗ ସରିବା ପରେ ଭିତରରେ ମହାସ୍ନାନ ପୂଜାଠା ହୋଇଥାଏ । ୩ ଜଣ ପାଳିଆ ସେବାୟତ ଖଟ ଶେଯ ଘର ଉପରକୁ ଯାଇ ଶୟନ ପେଡି ମୁଦ ଭାଙ୍ଗିଥାନ୍ତି । ପରେ ମୁଦିରସ୍ତ ଶୟନ ପେଡ଼ି ଖୋଲି ପାର୍ଥନା କରି କର୍ପୁର ଆଳତି, ଅଞ୍ଜଳି କରି ୩ ଗୋଟି ରୂପା ଥାଳିରେ ୩ ମହାପ୍ରଭୁଙ୍କୁ ୩ ଜଣ ସେବାୟତ ହାତରେ ବିଜେ କରାଇଥାନ୍ତି । ଖଟୁଳିରେ ବିଜେ କରାଇ ମହାସ୍ନାନ ବଢ଼ାଇଥାନ୍ତି । ମହାସ୍ନାନ ବଢ଼ିଲା ପରେ ରତ୍ନସିଂହାସନ ଉପରେ ବିଜେ କରିଥାନ୍ତି । ପତି ମହାପାତ୍ର, ପୂଜାପଣ୍ଡା ଓ ମୁଦିରସ୍ତ ୩ ଗୋଟି ରୂପା ପିଙ୍ଗଣରେ ଘଟୁଆରୀ ଘରଠାରୁ ଚନ୍ଦନ ବିଜେ କରି ଆଣି ସର୍ବାଙ୍ଗ ଚନ୍ଦନ ଲାଗି କରିଥାନ୍ତି ଓ ତତ୍ପରେ ନୂଆ ଲୁଗା ଲାଗି ହୋଇଥାନ୍ତି । ମାଳ, ଫୁଲରେ ବେଶ ହୋଇ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥାଏ ।












Click it and Unblock the Notifications