ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ନିଆରା ରଥଯାତ୍ରା, କେବଳ ମହିଳା ଟାଣନ୍ତି ରଥ
Ratha Yatra: ସାରା ବିଶ୍ୱରେ ପ୍ରସିଦ୍ଧ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା । ବର୍ଷକରେ ଥରେ ରତ୍ନବେଦୀ ଛାଡ଼ି ରଥାରୁଢ଼ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିଥାନ୍ତି ବିଶ୍ୱନିଅନ୍ତା କାଳିଆ ଠାକୁର । ଭାଇ ଭଉଣୀଙ୍କ ସହ ଭକ୍ତଙ୍କ ଗହଣରେ ଶରଧାବାଲିରେ କରିଥାନ୍ତି ଲୀଳାଖେଳା । ଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ବିଶ୍ୱରେ ପୁରୀ ରଥଯାତ୍ରା ପ୍ରସିଦ୍ଧ ଥିବା ବେଳେ ଏକ ନିଆରା ରଥଯାତ୍ରା ଦେଖିବାକୁ ମିଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ।

ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜିଉଙ୍କ ରଥଯାତ୍ରା ଦ୍ୱିତୀୟ ବୃହତମ ଘୋଷ ଯାତ୍ରା ଭାବେ ମଧ୍ୟ ପରିଚିତ । ଦୀର୍ଘ ଚାରିଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ହୋଇଆସୁଛି ଶ୍ରୀ ଶ୍ରୀ ହରିବଳଦେବଜିଉଙ୍କ ରଥ । ପୁରୀ ରଥଯାତ୍ରାର ରୀତି, ନୀତି ଓ ପରମ୍ପରା ଠାରୁ ଏଠାକାର ପରମ୍ପରାରେ ରହିଛି ଖୁବ୍ ଭିନ୍ନତା । ଆସନ୍ତୁ ଜାଣିବା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ଯାତ୍ରା କାହିଁକି ନିଆରା
୧୫୭୫ ମସିହାରେ ତକ୍ରାଳୀନ ମୟୂରଭଞ୍ଜ ମହାରାଜା ବୌଦ୍ୟନାଥ ଭଞ୍ଜ ପ୍ରତିଷ୍ଠା କରାଇଥିଲେ ବାରିପଦାର ଏହି ଚତୁର୍ଦ୍ଧାମୂର୍ତି ତଥା ଆଉ ଏକ ଦ୍ୱିତୀୟ ମନ୍ଦିର । ସେଇଥିପାଇଁ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଇଥାଏ । ପୁରୀର ଶ୍ରୀମନ୍ଦିର ଭଳି ରୀତିନୀତିରେ ଏଠାରେ ମଧ୍ୟ ଠାକୁରଙ୍କର ୧୨ ମାସରେ ୧୩ ଯାତ୍ରା ପାଳନ କରାଯାଇଥାଏ ।
ଏଠାରେ ନିଆରା ପରମ୍ପରା ହେଉଛି ମା' ସୁଭଦ୍ରାଙ୍କ ରଥ ଟଣା । ଯାହା ବାରିପଦାର ରଥଯାତ୍ରାକୁ ସ୍ୱତନ୍ତ୍ର କରିଥାଏ । ମା' ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି । ଏହି ଭିନ୍ନ ପରମ୍ପରା ୧୯୭୫ମସିହାରେ ଆରମ୍ଭ ହୋଇଥିଲା । ସେହି ବର୍ଷଟିକୁ ଆନ୍ତର୍ଜାତୀୟ ମହିଳା ବର୍ଷ ଭାବେ ପାଳନ କରାଯାଉଥାଏ । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ନନ୍ଦିନୀ ଶତପଥୀ ମା' ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣନ୍ତୁ ବୋଲି ଆଗ୍ରହ ପ୍ରକାଶ କରିଥିଲେ ଏହାକୁ ନେଇ ତକ୍ରାଳୀନ ଜିଲ୍ଲାପାଳ ବିବେକାନନ୍ଦ ପଟ୍ଟନାୟକ ଏବଂ ବାରିପଦାର ମୁରବି ପ୍ରତିମ ବ୍ୟକ୍ତିତ୍ୱ ସ୍ୱର୍ଗୀୟ ରାମାନ୍ଦ ଆଚାର୍ଯ୍ୟ ବଡଦାଣ୍ଡର ଉପସ୍ଥିତ ମହିଳା ମାନଙ୍କୁ ରଥ ଟାଣିବା ପାଇଁ ଆହ୍ୱାନ କରିଥିଲେ ।
ତେବେ ସେତେବେଳର ରକ୍ଷଣଶୀଳ ସମାଜକୁ ଆଖି ଆଗରେ ରଖି କେବଳ ୫ଜଣ ମହିଳା ରଥ ଟାଣିବାକୁ ଆଗେଇ ଆସିଥିଲେ । କିନ୍ତୁ ଏହା ପରବର୍ଷ ସହରର ବାଳିକା ବିଦ୍ୟାଳୟ ଓ ମହିଳା କଲେଜ ଛାତ୍ରୀ ମାନଙ୍କୁ ଏଥିରେ ସାମିଲ କରାଯାଇଥିଲା । କିନ୍ତୁ ଏବେ ସମୟ ବଦଳିଛି । ବାରିପଦାରେ ରଥ ଟାଣିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ସଂଖ୍ୟାରେ ଭକ୍ତ ମାନେ ଛୁଟି ଆସନ୍ତି ମା' ସୁଭଦ୍ରାଙ୍କ ରଥ ଟାଣିବ ପାଇଁ ।
ବାରିପଦା ରଥର ଅନ୍ୟ ଏକ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ହେଉଛି ଶ୍ରଦ୍ଧା ଲଡୁ । ଯାହାକି ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ମାଉସୀ ମା ମନ୍ଦିର ପହଞ୍ଚିବା ପରେ ଭକ୍ତ ମାନଙ୍କ ନିମନ୍ତେ ରଥ ଉପରୁ ଶ୍ରଧା ଲଡୁ ଫିଙ୍ଗା ଯାଇଥାଏ । ଆଉ ଏହାକୁ ପାଇବା ପାଇଁ ଶ୍ରଧାଳୁଙ୍କ ମନରେ ମଧ୍ୟ ଖୁବ୍ ଆଗ୍ରହ ଦେଖିବାକୁ ମିଳିଥାଏ । କୁହାଯାଏ କି, ପୁରୀ ଗୁଣ୍ଡିଚା ଯାତ୍ରାର ଦିନକ ପରେ ତିନି ଠାକୁର ବାରିପଦାରେ ଉଭା ହୋଇଥାନ୍ତି । ଏଥିପାଇଁ ରାଜା ରାଜୁଡା ଅମଳରୁ ପୁରୀ ରଥଯାତ୍ରା ଦିନ ବାରିପଦାରେ ତିନିଠାକୁରଙ୍କ ପହଣ୍ଡି ବିଜେ କରାଯିବା ପରେ ତହିଁ ପର ଦୁଇଦିନ ଧରି ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ ।












Click it and Unblock the Notifications