ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ; ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ
ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ । ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାରାଦୀପ ପ୍ରଗତିର ମୁଖଶାଳା କହିଲେ ମୋହନ ମାଝୀ। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ । ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ପ୍ରେରଣା ଦିଏ । ସେମାନଙ୍କ ଉଦ୍ୟମ ବଳରେ ଆମ କଳିଙ୍ଗ ହୋଇଥିଲା ବୈଭବଶାଳୀ । ଆଜି ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ।

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହା ଉତ୍କଳୀୟ ପରମ୍ପରାର ଗର୍ବ ଗୌରବ । ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।
ସମୁଦ୍ରରୁ ନଦୀ, ପୁଷ୍କରିଣୀଠୁ ଆରମ୍ଭ କରି ସବୁ ଜଳାଶୟରେ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଗାଇ ଡଙ୍ଗା ଭସାଉଛନ୍ତି । ସକାଳୁ ସକାଳୁ ଏଥିପାଇଁ ଜଳାଶୟ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଭୁବନେଶ୍ୱରର ପବିତ୍ର ବିନ୍ଦୁ ସାଗର, ପୁରୀ ମହୋଦଧୀ, କଟକର ମହାନଦୀ, କାଠଯୋଡ଼ି ଭଳି ଅନେକ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍ ଟିମ୍ ବି ମୁତୟନ ହୋଇଛନ୍ତି ।
ମାସ ସାରା କାର୍ତ୍ତିକ ବ୍ରତ କରିବା ପରେ ଆଜି ପୂର୍ଣ୍ଣିମା ପାଇଁ ହବିଷ୍ୟାଳୀମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ପୂଜାର୍ଚ୍ଚନା କରିଛନ୍ତି। ବିଶ୍ୱାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ।
ଉତ୍କଳର ଗୌରବମୟ ନୌବାଣିଜ୍ୟ ଇତିହାସ ସହିତ ମଧ୍ୟ ଏହା ନିବିଡ଼ ଭାବେ ସମ୍ପୃକ୍ତ। ଏହିଦିନ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି।












Click it and Unblock the Notifications