ବକୁଳ ଅମାବାସ୍ୟା: ପକୃତି ଓ ପରମ୍ପରାର ନିଆରା ପର୍ବ
ଭୁବନେଶ୍ବର: ହିନ୍ଦୁ ପରମ୍ପରାରେ ଆମ୍ବ ଓ ଆମ୍ବ ଡାଳର ବହୁତ ମହତ୍ୱ ଅଛି l ଆମ୍ବଡାଳୁଆ ଓ ପଇଡ଼ କଳସ ବା ଘଟ ସ୍ଥାପନ ଉପଲକ୍ଷେ ଏକ ଅପରିହାର୍ଯ୍ୟ ବସ୍ତୁ l ବିଭିନ୍ନ ମେଳାସ୍ଥଳୀ ଓ ସ୍ୱାଗତ ତୋରଣକୁ ଆମ୍ବ ଡାଳଦ୍ୱାରା ସଜା ଯାଇଥାଏ l ଦୋଳଯାତ ବେଳେ ପ୍ରଭୁ ଶ୍ରୀଦୋଳଗୋବିନ୍ଦଙ୍କ ଶ୍ରୀହସ୍ତରେ ଆମ୍ବ କଷି ଲଗା ଆମ୍ବଡାଳ ଶୋଭା ପାଏ l ପୁଣି ଫଳ ମାନଙ୍କ ରାଜା ହେଉଛି ଆମ୍ବ l ଆମ୍ବର ଅନ୍ୟ ନାମ ଆମ୍ର, ଚୂତ,ସହକାର,ରସାଳ l ସ୍ତ୍ରୀ ଲୋକେ ଓ କୁମାରୀ ଝିଅମାନେ ବଉଳ ବସି ବନ୍ଧୁତ୍ୱ ବାନ୍ଧିବା ପରମ୍ପରା ରହିଛି l ଆମ୍ବ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ମାନଙ୍କରେ ଆମ୍ବପତ୍ର ବ୍ୟବହାର ହେତୁ ଏହା ଅନ୍ୟାନ୍ୟ ବୃକ୍ଷ ଯଥା ତୁଳସୀ,ବେଲ ଅଁଳା,ଅଶ୍ୱସ୍ତ, ବର, ପଳାଶ,କଦଳୀ ଇତ୍ୟାଦି ଭଳି ପୂଜନୀୟ।

ବୃକ୍ଷ ପୂଜା ପରମ୍ପରାରେ ଆମ୍ବ ଗଛକୁ ପୂଜା କରିବାର ପର୍ବ ହେଉଛି ବଉଳ ଵା ବକୁଳ ଲାଗି ଅମାବାସ୍ୟା l ଏହାର ଅନ୍ୟ ନାମ ବଉଳ ଅମାବାସ୍ୟା l ପୌଷ ମାସର ଅମାବାସ୍ୟା ବକୁଳ ଅମାବାସ୍ୟା ନାମରେ ଖ୍ୟାତ। ଏହି ଅମାବାସ୍ୟା ବେଳକୁ ଶୀତର ପ୍ରକୋପ କମି ଆସିଥାଏ, ଆମ୍ବ ଗଛରେ ବଉଳ ଅଙ୍କୁରିତ ହୋଇ ଋତୁରାଜ ବସନ୍ତକୁ ସ୍ୱାଗତ କରୁ ଥାଏ l
ବକୁଳ ଅମାବାସ୍ୟା ଦିନ ଚୁତ ତରୁ, ଆମ୍ବ ଗଛକୁ ପୂଜା କରାଯାଏ l ଭୋଗ ସାମଗ୍ରୀ ଭାବେ ଗଇଁଠା ପିଠା ଏବଂ ବଉଳକୁ ବ୍ୟବହାର କରାଯାଏl ଆମ୍ବ ମୂଳେ ପୂଜାଲଗାଇ ଗଇଁଠା ପିଠାକୁ ବୃକ୍ଷ ଉପରେ ନିକ୍ଷେପ କରା ଯାଇଥାଏ l ଗଇଁଠା ଗଛରୁ ଯେଉଁ ଭଳି ପଡ଼େ ସେହି ଭଳି ଆମ୍ବ ଫଳି ଗଛରୁ ପତିତ ହେବା ନିମନ୍ତେ କାମନା କରାଯାଏ l
ଏଥିରେ କୌଣସି ଦେବା ଦେବୀଙ୍କ ପୂଜା କରା ନ ଯାଉଥିଲେ ମଧ୍ୟ ଭୋଗକୁ ଭଗବାନଙ୍କୁ ସମର୍ପଣ କରାଯାଏ l ଶ୍ରୀମନ୍ଦିରରେ ମଧ୍ୟ ବକୁଳଲାଗି ନୀତି ପାଳିତ ହୋଇଥାଏ l ବଉଳ କଢ଼ ବାସ୍ନା ବସନ୍ତକୁ ଆହ୍ୱାନ ଦେଇଥାଏ l ବକୁଳଲାଗି ଅମାବାସ୍ୟା ପ୍ରକୃତି ପୂଜାର ନିଦର୍ଶନ l ବଉଳର ବାସ୍ନା ଏହି ସମୟରେ ଜନ ମାନସକୁ ମନ୍ତ୍ର ମୁଗ୍ଧ କରିଥାଏ l ବଉଳ ପୂଜା କରି,ବଉଳ ଯେ ଦିନେ ରସାଳ ଫଳ ସୃଷ୍ଟି କରିବ ଏହି ଭାବନାରେ ଜନ ଗଣ ଉନ୍ମାଦିତ ହୋଇ ଥାନ୍ତି l
ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା, ଏ ବକୁଳଲାଗି ଅମାବାସ୍ୟା ଦିନ ଭଗବାନ ଗ୍ରହଣ କରିଥିବା ଦଶ ଅବତାର ମଧ୍ୟରୁ ତୃତୀୟ ଅବତାର, ଶ୍ରୀବରାହ ଵା ଶୂକର ଅବତାର ଗ୍ରହଣ କରିଥିଲେ l ପ୍ରଭୁ ବରାହ ସୃଷ୍ଟି କର୍ତ୍ତା ପିତାମହ ବ୍ରହ୍ମାଙ୍କ ନାକ ପୁଡ଼ାରୁ ଜାତ ହୋଇ ପ୍ରତାପୀ ରାକ୍ଷସ ହିରଣ୍ୟାକ୍ଷକୁ ବଦ୍ଧ କରି ଦନ୍ତ୍ୟ ଅଗ୍ରରେ ଧାରଣ କରି ରସାତଳରେ ନିମଗ୍ନ ପୃଥିବୀକୁ ଉଦ୍ଧାର କରିଥିଲେ।
ଶ୍ରୀମନ୍ଦିରରେ ବକୁଳ ଲାଗି ନୀତି:
ଓଡ଼ିଆର କୌଣସି ପର୍ବ ତା'ର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ହୁଏନାହିଁ l ଶ୍ରୀମନ୍ଦିରରେ ବି ବକୁଳ ଲାଗି ନୀତି ଅନୁଷ୍ଠିତ ହୋଇ ଥାଏ। ନୀତି ଅବସରରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଏ l ତାଟରେ ଆମ୍ବ ବଉଳର ଗଇଁଠା ମହାପ୍ରଭୁଙ୍କ ଠାରେ ଲାଗି କରା ହୁଏ l ପରମ୍ପରା ଅନୁଯାୟୀ ଏହି ଦିନର ଆଳତି ବଢ଼ିବା ପରେ ଶ୍ରୀଜିଉଙ୍କୁ ଆଜ୍ଞା ମାଳ ଲାଗି କରା ଯାଇଥାଏ। ବଲ୍ଲଭ ଭୋଗ ନୀତି ଶେଷ ହେବା ପରେ ସକାଳ ଧୂପ ନୀତି ଆରମ୍ଭ ହୁଏ l ସକାଳ ଧୂପ ଉଠିଲା ପରେ ରୋଷ ଘରୁ ବଉଳ ଗଇଁଠା ତାଟ ଶ୍ରୀଛାମୁକୁ ଆସି ପ୍ରସାଦ ଲାଗି ନୀତି ବଢ଼ି ଥାଏ l

ଷୋଡ଼ଶ ଉପଚାର ପରେ ଟେରା ଫିଟା ଯାଇ ଆଳତି କରା ଯାଇଥାଏ l ତାଟ ଭିତରେ ଥାଇ ତିନି ବାଡ଼ରେ ବନ୍ଦାପନା ନୀତି ଅନୁଷ୍ଠିତ ହୁଏ l ଏହା ପରେ ଦକ୍ଷିଣ ଘରୁ ଶ୍ରୀ ନାରାୟଣ ରତ୍ନ ସିଂହାସନକୁ ବିଜେ କରନ୍ତି l ଶ୍ରୀ ଜୀଉଙ୍କୁ ଲାଗି ଆଜ୍ଞା ମାଳ ପାଇବା ପରେ ଶ୍ରୀ ନାରାୟଣ ସାଗର ବିଜେ ପାଇଁ ପାଲିଙ୍କିରେ ବିଜେ କରିଥାନ୍ତି l ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ବିଧାନ ମୁତାବକ ପାଳିତ ହୋଇ ଥାଏ l
ଶ୍ରୀ ନାରାୟଣ ସାଗର ବିଜେ ନୀତି ସାରି ପୁନର୍ବାର ଦକ୍ଷିଣଘର ବିଜେ କରନ୍ତି l ଏହିଠାରେ ବକୁଳ ଲାଗି ନୀତି ସମ୍ପୂର୍ଣ୍ଣ ହୋଇଥାଏ l
ଧନ୍ୟ ପ୍ରଭୁ ବିଶ୍ୱକାରଣଙ୍କ ସୃଷ୍ଟି l ଧନ୍ୟ ଏହି ଋତୁ ଆବର୍ତ୍ତନର ଲୀଳା l ବକୁଳ ଲାଗି ଅମାବାସ୍ୟାର ପବିତ୍ର ତିଥିରେ ଆସନ୍ତୁ ସେହି ଲୀଳା ମୟ ବିଶ୍ୱ ସ୍ରଷ୍ଟା,ବିଶ୍ୱକର୍ତ୍ତା ପ୍ରଭୁଙ୍କୁ ପ୍ରାର୍ଥନା କରିବା ସମସ୍ତଙ୍କ ଜୀବନରେ ମଧୁମୟ ମଧୁର ବସନ୍ତର ଆଗମନ ହେଉ l ସମସ୍ତଙ୍କ ପ୍ରାଣ ନବ ଉନ୍ମାଦନା ଓ ନବ ପୁଲକରେ ପଲ୍ଲବିତ ହେଉ l












Click it and Unblock the Notifications